ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଠାରୁ ତିନି ଦିନିଆ ଚୀନ ଗସ୍ତ ଆରମ୍ଭ କରିଛନ୍ତି। ଟ୍ରମ୍ପଙ୍କ ସହିତ ତାଙ୍କ ପ୍ରଶାସନର ଉଚ୍ଚସ୍ତରୀୟ ଅଧିକାରୀ ଏହି ଗସ୍ତରେ ସାମିଲ ହୋଇଛନ୍ତି। ବିମାନବନ୍ଦରରେ ଟ୍ରମ୍ପ ଓ ତାଙ୍କ ପ୍ରତିନିଧି ଦଳକୁ ଚୀନ ଉପରାଷ୍ଟ୍ରପତି ହାନ ଜେଙ୍ଗ ଏବଂ ଚୀନର କାର୍ଯ୍ୟକାରୀ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ମା ଜାଓସୁଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଏହା ସହିତ ଚୀନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡେଭିଡ୍ ପର୍ଡ୍ୟୁ, ଆମେରିକାରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସିଏ ଫେଙ୍ଗ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ। ଆମେରିକା ପ୍ରତିନିଧିଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୁରୁ ଓ ଶୁକ୍ରବାର ଦୁଇ ଦିନ ଧରି ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିବେ। ଇରାନ ସହିତ ଆମେରିକାର ଯୁଦ୍ଧ ଲାଗି ରହିଥିବାବେଳେ ବିଶ୍ବର ଦୁଇ ପ୍ରମୁଖ ଦେଶ ସେମାନଙ୍କ ସମ୍ପର୍କରେ ସୁଧାର ଆଣିବାକୁ ଉଦ୍ୟମ କରିବେ। ଏହା ସହିତ ଇରାନ-ଆମେରିକା ଯୁଦ୍ଧରେ ଅସ୍ତ୍ରବିରତି ନିମନ୍ତେ ଟ୍ରମ୍ପ ଚୀନର ହସ୍ତକ୍ଷେପ ଲୋଡିବେ ବୋଲି ଅନୁମାନ କରାଯାଇଛି। ଟ୍ରମ୍ପଙ୍କ ଏହି ଗସ୍ତ ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ଆମେରିକାର କାର୍ଯ୍ୟରତ ରାଷ୍ଟ୍ରପତି ଚୀନ ଗସ୍ତ କରିଛନ୍ତି। ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ ବିଶ୍ୱର ଏହି ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ସମ୍ପର୍କକୁ ସ୍ଥିର କରିବା ପାଇଁ ଟ୍ରମ୍ପଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ଶୁଳ୍କ ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଗସ୍ତରେ ଟେସଲାର ଏଲନ ମସ୍କ ଏବଂ ଏନଭିଡିଆର ଜେନସେନ ହୁଆଙ୍ଗଙ୍କ ଭଳି ପ୍ରମୁଖ ଶିଳ୍ପପତି ସାମିଲ ଅଛନ୍ତି। ତେଣୁ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ଏବଂ ନିବେଶ କ୍ଷେତ୍ରରେ କିଛି ନୂତନ ଚୁକ୍ତି ହୋଇପାରେ। ଗୁରୁବାର ‘ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍’ରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ।






More Stories
ଆଜି ଘୋଷଣା ହେବ କେରଳର ମୁଖ୍ୟମନ୍ତ୍ରୀଙ୍କ ନାମ…..
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..