Report Card Odisha

| Daily Odia News

ଦେଶରେ ୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମ୍‌ କୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ୧୨ଟି ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ ୬୮ ଜଣଙ୍କ ନାମକୁ ଅନୁମୋଦନ କରିଛି ସୁପ୍ରିମକୋର୍ଟର କଲେଜିୟମ। ସେମାନଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଛନ୍ତି। ସୁପ୍ରିମକୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ତିନିଜଣ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ ଶୁକ୍ରବାର ୬୮ ଜଣଙ୍କ ନାମକୁ ୧୨ଟି ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି। ଏହିସବୁ ରାଜ୍ୟର ହାଇକୋର୍ଟଗୁଡିକ ମଧ୍ୟରୁ ଅଧିକାଂଶରେ ପ୍ରାୟ ୫୦% ବିଚାରପତି ପଦବୀ ଖାଲି ପଡିଥିବାରୁ ମାମଲାଗୁଡିକର ବିଚାର ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଥିଲା। ଏହି କଲେଜିୟମରେ ପ୍ରଧାନବିଚାରପତି ଜଷ୍ଟିସ ରମନାଙ୍କ ସହିତ ଜଷ୍ଟିସ ୟୁ ୟୁ ଲଳିତ ଏବଂ ଜଷ୍ଟିସ ଏ ଏମ କାନ୍‍ୱିଲକର ରହିଥିଲେ। କଲେଜିୟମ ୧୧୩ ଜଣଙ୍କର ନାମକୁ ବିଚାରକୁ ନେଇଥିଲେ। ବହୁ ବିଚାର ବିମର୍ଷ ଓ ତର୍ଜମା ପରେ ୬୮ ଜଣଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା। ଏହି ମନୋନୀତ ବ୍ୟକ୍ତିମାନେ ଆଲ୍ଲାହାବାଦ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଜମ୍ମୁ ଓ କାଶ୍ମୀର, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଓ ହରିଆଣା, କେରଳ, ଛତିଶଗଡ ଏବଂ ଆସାମ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇବେ। ସେମାନଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଥିବା ଜଣାଯାଇଛି।

Breaking News