ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗାମୀ ୮/୧୦ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ସମ୍ଭବ ନୁହେଁ ବୋଲି ଆଜି ବିଜେପି ସାଂସଦ ସୁଶୀଲ କୁମାର ମୋଦୀ କହିଛନ୍ତି। ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ଲାଗି ରାଜ୍ୟଗୁଡ଼ିକ ପ୍ରସ୍ତାବ ଆଣିବା ପରେ ସରକାର ଏ ଦିଗରେ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଗତ ମଙ୍ଗଳବାର ସଂସଦରେ ଆର୍ଥିକ ବିଲ୍-୨୦୨୧ ଉପରେ ଆଲୋଚନା ସମୟରେ ସେ ଏହା କହିଥିଲେ। ସୁଶୀଲ ମୋଦୀ ରାଜ୍ୟସଭାରେ କହିଛନ୍ତି ଯେ, ପେଟ୍ରୋଲ-ଡିଜେଲରେ ୬୦ ଟଙ୍କାର ଟିକସ ରହୁଛି। ସେଥିରେ ୩୫ ଟଙ୍କା କେନ୍ଦ୍ର ଏବଂ ୨୫ ଟଙ୍କା ରାଜ୍ୟ ସରକାରଙ୍କର। କେବଳ ଏତିକି ନୁହେଁ, କେନ୍ଦ୍ରର ୩୫ ଟଙ୍କା ମଧ୍ୟରୁ ୪୨% ରାଜ୍ୟ ସରକାରଙ୍କ ନିକଟକୁ ଯାଇଥାଏ। ସୁଶୀଲ ମୋଦୀ ଆହୁରି କହିଥିଲେ ଯେ, ସେ ଜିଏସଟି ପରିଷଦ ସହିତ ଜଡ଼ିତ ରହିଛନ୍ତି। ଅଧିକାଂଶ ସମୟରେ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା କଥା କୁହାଯାଇଥାଏ। ସେ ସଂସଦରୁ ଜାଣିବାକୁ ଚାହୁଁଛନ୍ତି ଯେ, ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନକୁ ଅଣଯାଏ, ତେବେ ରାଜ୍ୟଗୁଡ଼ିକର ହେବାକୁ ଥିବା ୨ ଲକ୍ଷ କୋଟି ଟଙ୍କାର କ୍ଷତିର ଭରଣା କେଉଁଠୁ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ଉଭୟ ମିଶି ପେଟ୍ରୋଲ ଓ ଡିଜେଲରୁ ବାର୍ଷିକ ୫ ଲକ୍ଷ କୋଟି ଟଙ୍କା ରାଜସ୍ବ ହାସଲ କରୁଛନ୍ତି। ତାହାର ଭରଣା କେଉଁଠୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଜିଏସଟିରେ ସର୍ବାଧିକ ୨୮% ଟିକସ ସ୍ଲାବ ରହିଛି। ଏବେ ପେଟ୍ରୋଲ ଓ ଡିଜେଲରେ ୬୦% ଟିକସ ନିଆଯାଉଛି। ତେଣୁ ଏହାକୁ ଜିଏସଟିକୁ ଆଣିଲେ ବାର୍ଷିକ ଯେଉଁ ଦୁଇରୁ ଅଢ଼େଇ ଲକ୍ଷ କୋଟି ଟଙ୍କା କ୍ଷତି ହେବ ତାହା କେଉଁଠୁ ଭରଣା କରାଯିବ। ତେଣୁ ଏହି ଦୁଇଟି ଉତ୍ପାଦକୁ ଜିଏସଟି ଅଧୀନକୁ ଆଣିବା ଆଗାମୀ ୮/୧୦ ବର୍ଷ ପର୍ଯ୍ୟନ୍ତ ସମ୍ଭବ ନୁହେଁ। କଂଗ୍ରେସ କ୍ଷମତାସୀନ ରାଜ୍ୟ ସରକାର କିମ୍ବା ବିଜେପି କ୍ଷମତାସୀନ ରାଜ୍ୟ ସରକାର ଏଥିପାଇଁ କେବେ ବି ପ୍ରସ୍ତୁତ ହେବେ ନାହିଁ ବୋଲି ସେ କହିଛନ୍ତି।
More Stories
ରାଜା ଚକ୍ର ଗିରଫ,୧୮୫ କୋଟି ଟଙ୍କାର ଘୋଟାଲା…..
ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି…..
ଗୃହରେ ପ୍ରବଳ ହଟ୍ଟଗୋଳ,ସାଢେ ୧୧ଟା ଯାଏଁ ମୁଲତବୀ…..