ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀକୁ ରୁଷ ଆତଙ୍କି କହିବ ନାହିଁ । ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୂଚନା ଦେଇଛନ୍ତି । ଏଠାର ଇଣ୍ଟରନ୍ୟାସନାଲ ଭାଲଡାଇ କ୍ଲବରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ତାଲିବାନକୁ ଆତଙ୍କବାଦୀ ସଂଗଠନ ତାଲିକାରୁ ବାଦ ଦେବା ସମ୍ଭବ । ରୁଷ ଏ ସମ୍ପର୍କରେ ବିଚାର କରୁଛି । ତେବେ ଏହା ଜାତିସଂଘ ସ୍ତରରେ ମଧ୍ୟ ହେବା ଆବଶ୍ୟକ । ରୁଷର ଖବର ସରବରାହ ସଂସ୍ଥା ଟାସ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପୁଟିନଙ୍କ ଉକ୍ତିକୁ ଉଦ୍ଧାର କରି କୁହାଯାଇଛି ଯେ ତାଲିବାନମାନେ ନିଃସନ୍ଦେହରେ ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିଛନ୍ତି ଏବଂ ସେମାନେ ସେଠାକାର ପରିସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସମସ୍ତେ ଆଶା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗୁରୁତର ଆର୍ଥିକ ଓ କୁଟନୈତିକ ସଙ୍କଟ ଦେଇ ଗତି କରୁଥିବା ତାଲିବାନ ଗୋଷ୍ଠୀ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ତେବେ ବିଶ୍ୱ ସମୁଦାୟ ସ୍ପଷ୍ଟ କରିଦେିଛନ୍ତି ଯେ ସେମାନଙ୍କୁ ସ୍ୱୀକୃତି ଦିଆଯିବା ପୂର୍ବରୁ ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ । ତାଲିବାନର ଜଣେ ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି, ଯୁଦ୍ଧ ବିଭୀଷିକାରେ ପୂର୍ଣ୍ଣଚ୍ଛେଦ ପଡିସାରିଛି ଏବଂ ଏବେ ବିଶ୍ୱ ସମୁଦାୟ ଆଫଗାନିସ୍ତାନ ପ୍ରତି ସେମାନଙ୍କର ରହିଥିବା ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ସମ୍ପର୍କରେ ଉନ୍ନତି ଘଟାଇବାର ଆବଶ୍ୟକତା ରହିଛି । ସେମାନେ ପାରସ୍ପରିକ ଉତ୍ତମ ସମ୍ପର୍କ ସମସ୍ତଙ୍କ ଠାରୁ ଆଶା କରୁଛନ୍ତି ।
Discussion about this post