ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରୁ ବାତ୍ୟା ବିପଦ ଟଳିଯାଇଛି। ବାତ୍ୟା ଗୁଲାବ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇନି । ବାତ୍ୟା ପ୍ରଭାବରେ ଯଦିଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ହୋଇଛି ତେବେ ସେଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନି । ଏବେବି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବାତ୍ୟା ଗୁଲାବ ପ୍ରଭାବରେ ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୮୨ ମିଲି ମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ଏବେବି ହାଲୁକାରୁ ମଧ୍ୟମ ଧରଣରର ବର୍ଷା ଲାଗି ରହିଛି। ଗଜପତି ଜିଲ୍ଲାରେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ୍ ର ୨୦ କିମି ଉତ୍ତରକୁ ଓ ଓଡ଼ିଶାର ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୧୬୦ କିମି ଦୂର ମୁରିବୁଡାଠାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ କରିଛି। ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୪ କିମି ରହିଥିଲା। ସ୍ଥଳ ବିଶେଷରେ କଳିଙ୍ଗପଟ୍ଟନମ୍ ରେ ପବନର ବେଗ ସର୍ବାଧିକ ୯୪ କିମି ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ତେଲେଙ୍ଗାନାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି।
Discussion about this post