ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ଏହାପୂର୍ବରୁ ବୁଧବାର (୧୧ ଡିସେମ୍ବର ୨୦୨୪) କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ବଡ଼ ଦାବି କରିଥିଲେ ଏବଂ ବାରମ୍ବାର ନିର୍ବାଚନ ଯୋଗୁ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ। ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ କୁରୁକ୍ଷେତ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବରାଜ ସିଂ ଚୌହ୍ବାନ କହିଥିଲେ, ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ଦେଶ ଆଗକୁ ବଢୁଛି । ଶିବରାଜ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଗୌରବମୟ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ନିର୍ମାଣ କରାଯାଉଛି। ଖୁବ୍ ଶୀଘ୍ର ଭାରତ ଆମ ଆଖି ଆଗରେ ‘ବିଶ୍ୱ ଗୁରୁ’ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ସମଗ୍ର ବିଶ୍ୱ ଏହା ଜାଣନ୍ତି। କିନ୍ତୁ ଭାରତର ପ୍ରଗତି ଏବଂ ବିକାଶରେ ଗୋଟିଏ ବାଧା ଅଛି, ତାହା ହେଉଛି ଦେଶରେ ହେଉଥିବା ବାରମ୍ବାର ନିର୍ବାଚନ। ଦେଶରେ ଅନ୍ୟ କିଛି ଘଟୁ ନ ଘଟୁ, କିନ୍ତୁ ନିର୍ବାଚନ ପାଇଁ ପ୍ରସ୍ତୁତି ପାଞ୍ଚ ବର୍ଷ ସାରା ଜାରି ରହିଛି। ଯେତେବେଳେ ଲୋକସଭା ନିର୍ବାଚନ ସମାପ୍ତ ହେଉଛି, ବିଧାନସଭା ନିର୍ବାଚନ ଆସୁଛି। ହରିୟାଣା, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି,ବର୍ତ୍ତମାନ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏକ ଦେଶ, ଏକ ନିର୍ବାଚନ ଯୋଜନାକୁ ଗ୍ରହଣ କରି କେନ୍ଦ୍ର ସରକାର ସେପ୍ଟେମ୍ବରରେ ଲୋକସଭା, ରାଜ୍ୟ ସଭା ଏବଂ ସ୍ଥାନୀୟ ସଂସ୍ଥା ପାଇଁ ଏକକାଳୀନ ନିର୍ବାଚନ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟିର ସୁପାରିଶକୁ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଆରମ୍ଭରୁ କେନ୍ଦ୍ର ସରକାର ଏକ ଦେଶ, ଏକ ନିର୍ବାଚନକୁ ସମର୍ଥନ କରିଆସୁଛନ୍ତି। ତଥାପି, ବିଦ୍ୟମାନ ସିଷ୍ଟମକୁ ପରିବର୍ତ୍ତନ କରିବା ଏକ ଆହ୍ବାନ ମୂଳକ କାର୍ଯ୍ୟ। ଏଥିପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ଏକ ଦେଶ, ଏକ ନିର୍ବାଚନକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ପ୍ରାୟ ୬ଟି ବିଲ୍ ଆଣିବାକୁ ପଡିବ। ସଂସଦରେ ଏସବୁ ପାସ୍ କରିବାକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..