ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବା ଲାଗି ଗୁରୁବାର ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ, ଆନ୍ଧ୍ରପ୍ରଦେଶ କହିଛି ଯେ, କୋଭିଡ୍-୧୯ ମାମଲା ହ୍ରାସ ପାଉଥିବାରୁ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସମ୍ମତି ପାଇଥିବାରୁ ସେ ୧୨ଶ ଶ୍ରେଣୀ ପରୀକ୍ଷା କରାଇବ। ଜୁଲାଇ ଚତୁର୍ଥ ସପ୍ତାହରେ ‘ଫିଜିକାଲ୍ ମୋଡ୍’ରେ ପରୀକ୍ଷା ହେବ ବୋଲି ଆନ୍ଧ୍ର ପ୍ରଦେଶ ସରକାର ଏକ ସତ୍ୟପାଠରେ କହିଛନ୍ତି। ମାତ୍ର ଏଥିରେ ପ୍ରତିକ୍ରିୟାଶୀଳ ହୋଇ ବିଚାରପତି ଏମ୍ ଖାନୱିଲ୍କର ଏବଂ ଦିନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଲେ ଯେ, ରାଜ୍ୟମାନେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ସହ ସୁବ୍ୟବସ୍ଥିତ ଯୋଜନା କରିବା ଆବଶ୍ୟକ। ପିଲାମାନଙ୍କ ଜୀବନ ସହ ଖେଳ ଖେଳିବେ କିପରି? ପରିସ୍ଥିତି ବଡ଼ ଅନିଶ୍ଚିତତା ମଧ୍ୟରେ ଚାଲୁଥିବା ବେଳେ ଯଦି ଜୁଲାଇ ମାସରେ ପରୀକ୍ଷା ହୁଏ, ଫଳାଫଳ ବାହାରିବାରେ ଆହୁରି ବିଳମ୍ବ ହେବ। ଦାଖଲ କରିଥିବା ସତ୍ୟପାଠରେ ଆନ୍ଧ୍ରପ୍ରଦେଶ ସରକାର କହିଛନ୍ତି ଯେ, ପ୍ରାୟ ୫.୨୦ ଲକ୍ଷ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ। ତେଣୁ, ସେଥିପାଇଁ ଦିନେ ଛଡ଼ା ଦିନେ ପରୀକ୍ଷା କରାଇବା ଏବଂ ଗୋଟିଏ ପରୀକ୍ଷା କେନ୍ଦ୍ରରେ ମାତ୍ର ୧୫ ରୁ ୧୮ଜଣ ଛାତ୍ରଛାତ୍ରୀଙ୍କୁ ବସାଯିବା ଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। କିନ୍ତୁ, ଏ ବିଷୟରେ ହୋଇଥିବା ଚୂଡ଼ାନ୍ତ ବନ୍ଦୋବସ୍ତ ଆସନ୍ତାକାଲି ଉପସ୍ଥାପନ କରିବା ଲାଗି ଅଦାଲତ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଆଦେଶ ଦେଇଛନ୍ତି।କୋଭିଡ୍-୧୯ଜନିତ ପରିସ୍ଥିତି ଯୋଗୁଁ ୧୨ଶ ଶ୍ରେଣୀର ପ୍ରତ୍ୟକ୍ଷ ପରୀକ୍ଷା ବାତିଲ କରିବା ଲାଗି ଆଗତ ଜନସ୍ବାର୍ଥ ମାମଲା ଶୁଣାଣି କରି ସୁପ୍ରିମ୍ କୋର୍ଟ ଆଜି ଏହି ନିର୍ଦେଶ ଦେଇଛନ୍ତି।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..