ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଜଳଶକ୍ତି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଠକେଇ ଉଦ୍ଦେଶ୍ୟରେ ଅଶ୍ଳୀଳ କଲ୍ କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ରାଜସ୍ଥାନର ଭରତପୁରରୁ ଦୁଇଜଣଙ୍କୁ ଗିରଫ କରିଥିଲା। କେନ୍ଦ୍ରମନ୍ତ୍ରୀ ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ ଭିଡିଓ କଲ୍ର ଉତ୍ତର ଦେବା ପରେ ଅସୁବିଧାରେ ପଡ଼ିଥିଲେ। କଲ୍ ସମୟରେ ଅପରାଧୀମାନେ ତାଙ୍କୁ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ଏକ ଅଶ୍ଳୀଳ ଭିଡିଓ ପ୍ରସାରଣ କରିଥିଲେ। ତେବେ ମନ୍ତ୍ରୀ ତୁରନ୍ତ ଫୋନ୍ ବନ୍ଦ କରି ଘଟଣା ସମ୍ପର୍କରେ ପୋଲିସ କୁ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଏହା କୌଣସି ନୂଆ କଥା ନୁହେଁ। ଭିଡିଓ କଲ୍ର ଲୋକପ୍ରିୟତା ସହିତ ଏଭଳି ଯୌନ ଠକେଇ (ସେକ୍ସଟର୍ସନ) ଦ୍ରୁତଗତିରେ ବୃଦ୍ଧି ପାଇଛି। କେବଳ ଦିଲ୍ଲୀ ପୋଲିସ ନୁହେଁ, ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ବିଆଇ) ମଧ୍ୟ ସେକ୍ସଟର୍ସନ ରାକେଟ୍କୁ ନେଇ ଚେତାବନୀ ଦେଇଛି। ଏଫ୍ବିଆଇ ଆମେରିକୀୟମାନଙ୍କୁ ଚେତାବନୀ ଦେଇଛି ଯେ ଅପରାଧୀମାନେ ପୀଡ଼ିତଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବା ପାଇଁ ତାଙ୍କର ଫଟୋ ନେଇ ନକଲି ଅଶ୍ଳୀଳ ଫଟୋ ଓ ଭିଡିଓ ତିଆରି କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରୁଛନ୍ତି। ଜୁଲାଇ ମାସରେ ଏକ ସର୍କୁଲାର ଜାରି କରି ବ୍ୟୁରୋ କହିଛି ଯେ, ନିକଟରେ ଅନଲାଇନ ପୋଷ୍ଟ, ବ୍ୟକ୍ତିଗତ ମେସେଜ୍ କିମ୍ବା ଭିଡିଓ ଚାଟ୍ରୁ ନିଆଯାଇଥିବା ନିରୀହ ଫଟୋର ନକଲି ସଂସ୍କରଣ ବ୍ୟବହାର କରି ଲୋକଙ୍କୁ ଟାର୍ଗେଟ କରାଯିବା ଘଟଣା ବୃଦ୍ଧି ପାଇଛି।






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..