ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ଆସିବେ। ସେ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏନେଇ ଖୋଦ୍ ମମତା ସୂଚନା ଦେଇଛନ୍ତି। ମମତା କହିଛନ୍ତି, କଟକ ବଡ଼ ଡାକ୍ତରଖାନା (ଏସ୍ସିବି)ରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବା ସହ ସେଠାରେ ଆହତଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବା ସମ୍ଭାବନା ରହିଛି। ପ୍ରଥମେ କଟକରେ ଆହତଙ୍କୁ ଭେଟିବା ପରେ ସେଠାରୁ ଭୁବନେଶ୍ୱର ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ସେ କଥା ହେବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ତାଙ୍କ ରାଜ୍ୟର ଯେଉଁମାନେ ପ୍ରାଣ ହରାଇଛନ୍ତି ଓ ଯେଉଁମାନେ ସଂପୂର୍ଣ୍ଣ ଅକ୍ଷମ ହୋଇପଡିଛନ୍ତି ସେମାନଙ୍କ ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ। ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଆହତ ନ ହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ବୋଲି ମମତା ଘୋଷଣା କରିଛନ୍ତି।
More Stories
ତାମିଲନାଡୁରେ ଭୂସ୍ଖଳନ,୭ ମୃତ୍ୟୁ…..
୯ ହିନ୍ଦୁ ଗିରଫ କଲା ବାଂଲାଦେଶ ପୋଲିସ….
ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା…..