ମହାରାଷ୍ଟ୍ର: ଦିନକୁ ଦିନ ବେପରୁହା ମନଭାବ ବିଗାଡୁଛି ସ୍ଥିତି । ଆଉ ଟେନସନ ଦେଉଛି ନୂଆ ଷ୍ଟ୍ରେନ୍ । ଫଳରେ ମହାରାଷ୍ଟ୍ରରେ ଏବେ ଦେଖାଦେଇଛି ପୁଣି କରୋନା ସଙ୍କଟ । ପୁଣି ଫେରିଲା ଲକଡାଉନ । ରାଜ୍ୟର ଦୁଇଟି ଜିଲ୍ଲା ଅମରାବତୀ ଏବଂ ୟବତମାଲରେ ବିଗତ କିଛିଦିନ ଧରି ସଂକ୍ରମଣର ନୂଆ ମାମଲା ବଢୁଥିବା ଦେଖି ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ କଡାକଡି କରାଯାଇଛି । ଅମରାବତୀ ଜିଲ୍ଲା ପ୍ରଶାସନ ଶନିବାର ରାତି ୮ଟାରୁ ଲକଡାଉନ କଟକଣା ଜାରି କରାଯାଇଛି । ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣାକୁ ଲାଗୁ କରାଯାଇଛି । ସେପଟେ ୟବତମାଲ ଜିଲ୍ଲାରେ ମଧ୍ୟ ବଢୁଥିବା ସଂକ୍ରମଣକୁ ଦେଖି ଲକଡାଉନ ଭଳି କଟକଣା ଲାଗୁ ହୋଇଛି । ବିଗତ କିଛି ଦିନ ହେବ କେରଳ ଓ ବେଙ୍ଗଲୁରୁରେ ମଧ୍ୟ କରୋନା ଚିନ୍ତା ବଢାଇଛି । ମହାରାଷ୍ଟ୍ରରେ ଏବେ ଯାଏ ମୋଟ ୫୨ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୧୨ ହଜାର ନିକଟରେ ପହଂଚିଛି । ଜାନୁଆରୀ ମାସରେ ମହାରାଷ୍ଟ୍ରରେ ଦୈନିକ ୨ରୁ ୩ହଜାର ଯାଏ ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ ଫେବୃଆରୀରେ ସଂଖ୍ୟା ୪ହଜାରକୁ ବୃଦ୍ଧି ପାଇଛି । ସ୍ଥିତି ବେକାବୁ ଦେଖି ପୁଣି ତତ୍ପର ଅଛନ୍ତି ରାଜ୍ୟ ସରକାର । କୋଭିଡ ନିୟମର କଡାକଡି ପାଳନ ଲାଗି ନିର୍ଦ୍ଦେଷ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଧ୍ଧବ୍ ଠାକରେ । ଧାର୍ମିକ ଉତ୍ସବ ବିବାହ ଓ ରାଜନୈତିକ ରାଲି ପାଇଁ ପୂର୍ବ ଗାଇଡଲାଇନକୁ ପୁଣି ଲାଗୁ କରାଯାଇଛି । ତେବେ ଏହାର ଉଲ୍ଲଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଲୋକ ସଜାଗ ନହେଲେ ରାଜ୍ୟ ସରକାର ବାଧ୍ୟ ହୋଇ ଳକଡାଉନ କରିବେ ବୋଲି ଚେତାଇ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସଫଳତାର ସହ ମହାମରୀର ମୁକାବିଲା କରିଥିବା କେରଳର ସ୍ଥିତି ବି ଉଦ୍ବେଗ ଜନକ ରହିଛି । ଏବେ ସେଠାରେ ୬୧ ହଜାରରୁ ଅଧିକ ରୋଗୀ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁ ସଂଖ୍ୟା ୪ହଜାର ୩୨ରେ ପହଂଚିଛି । ମହାରାଷ୍ଟ୍ର ଓ କେରଳ ରୁ ହିଁ ଦେଶରେ ୭୫ ପ୍ରତିଶତ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏହି ସ୍ଥିତିକୁ ଦେଖି କେରଳ ସରକାର କଟକଣାକୁ କଡାକଡି କରିଛନ୍ତି । ଏଣେ ବେଙ୍ଗାଲୁରୁରେ ଦୁଇଟି ସ୍ଥାନରୁ ଶତାଧିକ ରୋଗୀ ଚିହ୍ନଟ ହେବା ପରେ ପୁଣି ସଂକ୍ରମଣର ଆଶଙ୍କା ବଢିଯାଇଛି । ଆରଟିନଗରରର ଥିବା ଏକ ନସିଂ କଲେଜରେ ୪୨ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳର ବୋଲି ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେରଳରୁ ଆସୁଥିବା ଲୋକଙ୍କ କୋଭିଡ ଯାଂଚ କୁ କଡାକଡି କରାଯାଇଛି । ହୋଟେଲ, ହଷ୍ଟେଲ ଓ ଯାତ୍ରୀନିବାସ ଗୁଡିକରେ କେରଳ ଫେରନ୍ତାଙ୍କ ପାଇଁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।
More Stories
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଟ୍ରାଫିକ ଚାଲାଣରେ ମିଳିବ ରିହାତି……
ଶିଖମାନଙ୍କ ଉପରେ ବୟାନ ପାଇଁ ରାହୁଲଙ୍କ ଘର ଆଗରେ ବିକ୍ଷୋଭ…..