ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରର ରନ୍ୱେ ଅବସ୍ଥା ଠିକ୍ ନ ଥିବାରୁ ବିମାନ ଅବତରଣ ବେଳେ ବିପଦ ଉପୁଜିବା ନେଇ ପାଇଲଟ୍ ଆଶଙ୍କା ପ୍ରକଟ କରିଛନ୍ତି। ଦୀର୍ଘ ବର୍ଷ ହେବ ରି-କାର୍ପେଟିଂ ହୋଇ ନ ଥିବାରୁ ଏଭଳି ସମ୍ଭାବନା ଉପୁଜିଛି।
ଦୈନନ୍ଦିନ ଭୁବନେଶ୍ୱର ବିମାନବନ୍ଦରର ରନ୍ୱେରେ ଅବତରଣ କରୁଛି ଅନେକ ବିମାନ। ହେଲେ ରନ୍ୱେର ମରାମତି ହୋଇନଥିବାରୁ ଏବେ ନାନା ଆଶଙ୍କା ଉପୁଜିଛି। ରନ୍ୱେ ରି-କାର୍ପେଟିଂ ପାଇଁ କାମ ଆରମ୍ଭ ହେଉ ହେଉ କରୋନା ପାଇଁ କଟକଣା ଲାଗିଲା। ଫଳରେ ରି-କାର୍ପେଟିଂ ପାଇଁ ବିମାନବନ୍ଦର ପରିସରରେ ଲାଗିଥିବା ପ୍ଲାଣ୍ଟରେ ବି କାମ ଆରମ୍ଭ ହୋଇପାରିଲା ନାହିଁ। ଦୀର୍ଘଦିନ ଧରି କାମ ନ ହେବା ଫଳରେ ବର୍ତ୍ତମାନ ପ୍ଲାଣ୍ଟରେ ଘାସ ଉଠି ଗଲାଣି। ଏଭଳି ସ୍ଥିତିରେ କାମ କରିବାକୁ ଠିକାଦାର ମଧ୍ୟ ମନା କରିଛନ୍ତି। ଫଳରେ ପୁଣି ଥରେ ରନ୍ୱେ ରି-କାର୍ପେଟିଂ ପାଇଁ ରି-ଟେଣ୍ଡର କରିବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହି ପ୍ରକ୍ରିୟା ପ୍ରାୟ ଛଅରୁ ସାତ ମାସ ଲାଗିବ ବୋଲି ଅନୁମାନ କରାଯାଉଛି।
ଯେ କୌଣସି ବିମାନବନ୍ଦରର ରନ୍ୱେ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ବିମାନ ଅବତରଣ ସମୟରେ ବିମାନର ଚକ ରନ୍ୱେରେ ଘସି ହୋଇଥାଏ। ଏହାଦ୍ୱାରା ରନ୍ୱେରେ ବିମାନ ଚକର ରବର ଅଂଶ ଜମି ଯାଇଥାଏ। ଦୀର୍ଘଦିନ ଧରି ରି-କାର୍ପେଟିଂ ନହେଲେ ରବର ଅଂଶ ଅଧିକ ହୋଇଯିବା ଯୋଗୁ ବିମାନ ଅବତରଣ ସମୟରେ ଠିକ୍ ଭାବେ ବ୍ରେକ୍ ଧରି ନ ଥାଏ। ଫଳରେ ବିମାନକୁ ସଠିକ୍ ଓ ସୁରକ୍ଷିତ ଭାବେ ଅବତରଣ କରାଇବା ପାଇଁ ପାଇଲଟ୍ଙ୍କୁ ଅନେକ ଅସୁବିଧା ହୋଇଥାଏ।
ଭୁବନେଶ୍ୱର ବିମାନବନ୍ଦର ରି-କାର୍ପେଟିଂ ନହେଲେ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସୁରକ୍ଷା ଦୃଷ୍ଟିରୁ ଏଠାକୁ ଆସିବାକୁ ମନ ବଳାଇବେ ନାହିଁ ବୋଲି ପାଇଲଟ୍ ମତ ରଖିଛନ୍ତି।
ପ୍ରାୟ ୯ ହଜାର ଫୁଟ୍ ରନ୍ୱେର ଅବସ୍ଥା ବିଗିଡ଼ି ଥିବାରୁ ୨୦୧୯ ନଭେମ୍ବର ମାସରେ ଭୁବନେଶ୍ୱର ବିମାନବନ୍ଦର ରି-କାର୍ପେଟିଂ ପାଇଁ ଯୋଜନା ହୋଇଥିଲା। ହେଲେ ସରକାରୀ ବ୍ୟବସ୍ଥା ସହ କରୋନା କଟକଣା ଯୋଗୁ ଯୋଜନା ଠିକ୍ ଭାବେ ରୂପାୟନ ହୋଇପାରିଲା ନାହିଁ। ଏଭଳି ସ୍ଥିତିରେ କେବେ ପୁଣି ରି-କାର୍ପେଟିଂ ଆରମ୍ଭ ହୋଇ ଶେଷ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Discussion about this post