Report Card Odisha

| Daily Odia News

ଦୂଷିତ ପାଣି ପିଇ ୬ ମୃତ, ୫୦ରୁ ଅଧିକ ଅସୁସ୍ଥ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁରଟ ସହର ନିକଟ କାଠୋର ଗ୍ରାମରେ ଦୂଷିତ ପାଣି ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫୦ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି | ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଇ ୩୦ ଓ ୩୧ ତାରିଖରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ସୁରଟ ମହାନଗର ନିଗମ କର୍ମଚାରୀ ସେଠାରେ ପହଂଚି ଗ୍ରାମବାସୀଙ୍କ ମଧ୍ୟରେ କ୍ଲୋରିନ ଔଷଧ ବଣ୍ଟନ କରିଛନ୍ତି। ଦୂଷିତ ପାଣି ପିଇବା ପରେ ଗ୍ରାମବାସୀ ବାନ୍ତି ଓ ତରଳ ଝାଡାରେ ଆକ୍ରାନ୍ତ ହୋଇଥିଲେ। ଅସୁସ୍ଥ ଥିବା ଲୋକଙ୍କୁ ନିକଟସ୍ଥ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡିକରେ ଚିକିତ୍ସା କରାଯାଉଛି। ସ୍ଥାନୀୟ ନେତା ଦର୍ଶନ ନାୟକ ଅଭିଯୋଗ କରିଛନ୍ତି ଯେ ସୁରଟ ମହାନଗର ନିଗମ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଉନାହାନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ମଧ୍ୟ ସେ ଦାବି କରିଛନ୍ତି। ଲୋକେ ଦୂଷିତ ପାଣି ପିଇବା ସମ୍ପର୍କରେ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ପାଣି ସହିତ ରାସ୍ତାକଡର ନାଳ ପାଣି ମିଶିଥିଲା। ପାଇପରେ ହୋଇଥିବା ଛିଦ୍ର ବାଟଦେଇ ନାଳପାଣି ମିଶି ପାନୀୟ ଜଳକୁ ପ୍ରଦୂଷିତ କରିଥିଲା। ଇତିମଧ୍ୟରେ ସୁରଟ ମହାନଗର ନିମର ମେୟର ପ୍ରତି ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଘୋଷଣା କରିଛନ୍ତି।

Breaking News