ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରଙ୍କର ସମ୍ମାନଜନକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦାୟିତ୍ବରେ ଥିବା ‘ଏନ୍ଏଚ୍ଏସ୍ଆର୍ସିଏଲ୍’ର ପରିଚାଳନା ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ରେଳବାଇ ବହିଷ୍କାର କରିଛି |ଏନେଇ ଗୁରୁବାର ଦିନ ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି। ତାଙ୍କ ସ୍ଥାନରେ ‘ନ୍ୟାସ୍ନାଲ୍ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍’ ପ୍ରକଳ୍ପର ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦଙ୍କୁ ୩ ମାସ ପାଇଁ ଉକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଥିବା କଥା ସେମାନେ କହିଛନ୍ତି। ସରକାରୀ ପଦବୀର ଅପବ୍ୟବହାର ଏବଂ ବେଆଇନ ଭାବେ ଘରୋଇ କମ୍ପାନିକୁ ପାଣ୍ଠି ଦେବା ସମେତ ଅଗ୍ନିହୋତ୍ରୀଙ୍କ ନାମରେ ଗୁଡ଼ିଏ ଅଭିଯୋଗ ଆସିଥିବା କଥା ବରିଷ୍ଠ ରେଳବାଇ ଅଧିକାରୀମାନେ କହିଛନ୍ତି। ‘ରେଳ ବିକାଶ ନିଗମ ଲିମିଟେଡ୍’ର ‘ସିଏମ୍ଡି’ ପଦବୀରେ ୯ ବର୍ଷ କାଳ ରହିଥିବା ସମୟରେ ସେ ଘରୋଇ କମ୍ପାନିକୁ ଅନଔପଚାରିକ ଭାବେ ପାଣ୍ଠି ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଗତ ଜୁନ୍ ୨ ତାରିଖରେ ଲୋକପାଳ ଅଦାଲତ ‘ସିବିଆଇ’କୁ ଆଦେଶ ଦେବା ପରେ ସରକାର ତାଙ୍କୁ ବହିଷ୍କାର କରିବା ଲାଗି ନିଷ୍ପତ୍ତି ନେଇଥିଲେ। କିନ୍ତୁ, ତାଙ୍କ ବିରୋଧରେ ଆଗତ ସବୁ ଅଭିଯୋଗକୁ ଅଗ୍ନିହୋତ୍ରୀ ଅଗ୍ରାହ୍ୟ କରିଦେଇଛନ୍ତି |ସୂଚନାଯୋଗ୍ୟ, ୧୯୮୨ ବ୍ୟାଚ୍ର ‘ଆଇଆର୍ଏସ୍ଇ’ ଅଧିକାରୀ ଅଗ୍ନିହୋତ୍ରୀ ୨୦୨୧ ଜୁଲାରେ ‘ଏନ୍ଏଚ୍ଏସ୍ଆର୍ସିଏଲ୍’ରେ ଯୋଗ ଦେଇଥିଲେ। ବୃହତ୍ ରେଳ ଭିତ୍ତିଭୂମି ପ୍ରକଳ୍ପ ପ୍ରବର୍ତ୍ତନ କରିବାରେ ତାଙ୍କର ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..