Report Card Odisha

| Daily Odia News

ମମତାଙ୍କ ନିରବତା ଏବଂ ପୋଲିସର ଗତିଶୀଳତାକୁ ନେଇ ଉଠିଲା ପ୍ରଶ୍ନ……

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ୧ ମାସରୁ ଅଧି ଦିନ ହୋଇଥିଲେ ମଧ୍ୟ ହିଂସା ଥମିବାର ନାଁ ନେଉନାହିଁ | ଏବେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା | ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ । ସେ ଆଜି ଟ୍ବିଟ୍‌ କରି କହିଛନ୍ତି,‘ ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଏବେ ମଧ୍ୟ ଜାରି ରହିଛି ଏବଂ ଏହା ମାନବସମାଜ ପାଇଁ ଲଜ୍ଜାଜନକ ଘଟଣା । ଯେଉଁମାନେ ଗଣତନ୍ତ୍ରକୁ ପାଥେୟ କରି ବିରୋଧୀମାନଙ୍କୁ ଭୋଟ ଦେଇଥିଲେ ବର୍ତ୍ତମାନ ସେମାନେ ହିଁ ଆକ୍ରମଣର ଶିକାର ହେଉଛନ୍ତି । ପୋଲିସ ସବୁ ଜାଣି ସୁଦ୍ଧା କୌଣସି ପଦେକ୍ଷପ ନେବାକୁ ସାହସ କରିପାରୁନାହିଁ ।’ ଏହା ସହିତ ଟ୍ବିଟ୍‌ କରି ଧନଖଡ, ହିଂସା ବେଳେ କ୍ଷତିଗ୍ରସ୍ତ ଘରଗୁଡିକର ଭିଡିଓ ମଧ୍ୟ ସେୟାର କରିବା ସହିତ ପୋଲିସର ଅପାରଗତାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ପୋଲିସ ହିଂସାକାଣ୍ଡ ଘଟାଇ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରବତା ଏବଂ ପୋଲିସର ଗତିଶୀଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ । ଆଉ ଏକ ଟ୍ବିଟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଲେଖିଛନ୍ତି, ‘ ରାଜ୍ୟରେ ଘଟୁଥିବା ହିଂସା ବାବଦରେ ଡିଜିପିଙ୍କୁ ସମସ୍ତ ସୂଚନା ଦିଆଯାଇଛି । ସଦବୁଦ୍ଧି ଜାଗ୍ରତ ହେଉ ଏବଂ ଆଇନ ବ୍ୟବସ୍ଥା ନିରପେକ୍ଷ ହେଉ । ଏମିତି କିଛି ନହେଉ ଯାହା ଦ୍ବାରାକି ଗଣତନ୍ତ୍ର ବପଦରେ ପଡିଯିବ । ଆଇନର ରକ୍ଷାକର୍ତ୍ତାମାନେ ଜାଗ୍ରତ ହୁଅନ୍ତୁ ଏବଂ ନିୟମ ଅନୁଯାୟୀ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ।’ ଉଲ୍ଲେଖ ଯୋଗ୍ୟକି – ଗତ ମେ ୨ ତାରିଖରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଏହା ପରଠାରୁ ରାଜ୍ୟରେ ହିଂସାତ୍ମକ ଘଟଣା ଜାରିରହିଛି | ଏହି ହିଂସାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ହିଂସାକାଣ୍ଡ ଯୋଗୁଁ ଲୋକମାନେ ବାଧ୍ୟ ହୋଇ ଭୟରେ ରାଜ୍ୟ ଛାଡି ଅନ୍ୟ ରାଜ୍ୟରେ ଆଶ୍ରୟ ନେଇଥିବା ବିଜେପି ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି ।

Breaking News