ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଙ୍ଗୋରେ ଏକ ଡଙ୍ଗା ଓଲଟି ୫୦ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପାଖାପାଖି ୭୦ ଲୋକ ଏବେବି ନିଖୋଜ ରହିଛନ୍ତି । ଏହି ଦୁର୍ଘଟଣା ନେଇ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପ୍ରାଦେଶିକ କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇ କହିଛନ୍ତି । କଙ୍ଗୋ ନଦୀରେ ଏହି ଦୁର୍ଘଟଣା ଘଟିଥିଲା । ସୋମବାର କି ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଶୁକ୍ରବାର ରାତି ପର୍ଯ୍ୟନ୍ତ ୫୧ଟି ମୃତଦେହ ଉଦ୍ଧାର ହୋଇଛି । ପାଖାପାଖି ୭୦ ଜଣ ନିଖୋଜ ରହିଥିବା ଅନୁମାନ କରାଯାଉଛି ବୋଲି ଉତ୍ତର-ପଶ୍ଚିମ ପ୍ରଦେଶ ମୋଙ୍ଗାଲା ପ୍ରଶାସନର ମୁଖପାତ୍ର ନେଷ୍ଟର ମାଗବାଡୋ କହିଛନ୍ତି । ୩୯ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି । ବୁଡ଼ିଯାଇଥିବା ବୋଟ୍ର ଯାତ୍ରୀ ଧାରଣ କ୍ଷମତାକୁ ଅନୁମାନ କରି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି । ଏହି ବୋଟ୍ଟି ପ୍ରକୃତରେ ନଅଟି ପାରମ୍ପାରିକ କାଠରେ ନିର୍ମିତ ହୋଇଥିଲା । ଯାହା ପିରୋଗସ୍ ଭାବରେ ଜଣାଶୁଣା ବୋଲି ମାଗବାଡୋ କହିଛନ୍ତି । ଘଟଣା ଦିନ ରାତିରେ ପାଗ ଭଲ ନଥିଲା ଏବଂ ଏଥିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ତେଣୁ ଏପରି ଏକ ଅଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏଥିରେ ସମୁଦାୟ କେତେଜଣ ଯାତ୍ରା କରୁଥିଲେ ଏବଂ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ପ୍ରଶାସନ ସ୍ପଷ୍ଟ କରିନାହିଁ । ତେବେ ଆନୁମାନିକ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।
Discussion about this post