Report Card Odisha

| Daily Odia News

ଲିଙ୍ଗ ବଦଳାଇବେ ଜେସନୁର

ସୁରତ: ପୁଅଟିଏ ହୋଇ ଜନ୍ମ ହୋଇଥିଲେ ଜେସନୁର ଦୟାର । କିନ୍ତୁ ମନରେ ସବୁ ବେଳେ ଝିଅଙ୍କ ଭଳି ସଜେଇ ହେବାର ଇଚ୍ଛାଥିଲା । ଏହି ଇଚ୍ଛା ହିଁ ତାଙ୍କୁ ଆଜି ସାରା ବିଶ୍ୱରେ ଜଣେ ଚର୍ଚ୍ଚିତ ଚେହେରା କରିଦେଇଛି । ଜେସନୁର ଏବେ ନିଜର ଲିଙ୍ଗ ବଦଳାଇ ସବୁଦିନ ପାଇଁ ଝିଅଟିଏ ହୋଇ ସମାଜରେ ବଁଚିବାକୁ ନିଷ୍ପତି ନେଇଛନ୍ତି । ତେବେ ଅସ୍ତ୍ରୋପଚାର ପୂର୍ବରୁ ସେ ପୁରୁଷ ଭାବେ ନିଜର ସିମେନକୁ ସାଇତି ରଖିଛନ୍ତି । ଝିଅ ହେବା ପରେ ଜେସନୁର ଏହି ସିମେନକୁ ବ୍ୟବହାର କରି ଭବିଷ୍ୟତରେ ମା’ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଗୁଜୁରାଟର ପଁଚମହଲସ୍ଥିତ ଗୋଧ୍ରାର ଗୋଟିଏ ଛୋଟିଆ ସହରରେ ଜେସନୁର ଜନ୍ମ ଗ୍ରହଣ କରିଥିଲେ । ସେ ପୁରୁଷ ଭାବେ ଜନ୍ମ ହୋଇଥିଲେ ହେଁ ଯୁବାବସ୍ଥାରୁ ତାଙ୍କ ଭିତରେ ଝିଅଙ୍କର ସବୁ ଗୁଣ ରହିଛି ବୋଲି ଅନୁଭବ କରିଥିଲେ । ସେ ସବୁ ବେଳେ କେମିତି ତାଙ୍କ ମା’ ଓ ଭଉଣୀ ଭଳିଆ ଶାଢ଼ୀ ପିନ୍ଧିବେ ଓ ଲିପଷ୍ଟିକ ଲଗାଇବେ ସେ ଚିନ୍ତା କରୁଥିଲେ । କିନ୍ତୁ ପୁରୁଷ ଚେହେରା ଭିତରେ ସେ ନିଜର ମହିଳା ସ୍ୱାଭାବକୁ ଚାପି ରଖିଥିଲେ । ପରିବାର ଲୋକଙ୍କୁ ସେ ଚିନ୍ତା କିମ୍ବା ଦ୍ୱନ୍ଦ୍ୱରେ ନପକାଇବା ପାଇଁ ଚୁପ୍ ରହିଥିଲେ । ଏକଥା ଜାଣିବା ପରେ ସମାଜ ତାଙ୍କୁ କେଉଁ ଆଖିରେ ଦେଖିବ, ସେହି ଚିନ୍ତା ମଧ୍ୟ ତାଙ୍କୁ ଘାରିଥିଲା । ଏଭଳି ଭାବେ ବେଶ କିଛି ବର୍ଷ ଧରି ଜେସନୁର ପୁରୁଷ ରୂପ ଓ ଭିତରେ ଗୋଟିଏ ଝିଅର ସ୍ୱାଭାବ ନେଇ ଆଗକୁ ବଢ଼ିଥିଲେ । ତେବେ ମେଡିକାଲ ପାଠ୍ୟକ୍ରମ ପାଇଁ ସେ ବିଦେଶ ଯିବାପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ସେ ଋଷରେ ମେଡ଼ିକାଲ ପାଠ ପଢ଼ୁଥିବା ବେଳେ ନିଜ ଇଚ୍ଛାରେ ବଁଚିବା ଆରମ୍ଭ କରିଥିଲେ । ତାଙ୍କ ଭିତରେ ଥିବା ଝିଅର ଗୁଣକୁ ସେ ଧୀରେ ଧୀରେ ସର୍ବସମୁଖକୁ ଆଣିବାକୁ ଚେଷ୍ଟା କରିଥିଲେ ।
ଏହି ୨୫ ବର୍ଷୀୟା ଡାଃ ଜେସନୁର ଋଷିଆର ଏମବିବିଏସ୍ ଡିଗ୍ରୀ ହାସଲ କରିବାପରେ ଏବେ ଭାରତରେ ଡାକ୍ତରୀ ସେବା କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆର ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସିମେନ ଦେଇ ସାରିଥିବା ଡାଃ ଜେସନୁର ଚଳିତ ବର୍ଷ ଶେଷ ଭାଗରେ ନିଜର ଲିଙ୍ଗ ପରିବର୍ତନ କରିବେ ବୋଲି ଜଣାପଡ଼ିଛି । ସେ ଆହୁରି କହିଛନ୍ତି ‘ମା’ କାଳୀ ମୋତେ ଗୋଟିଏ ମହିଳା ହେବା ପାଇଁ ଶକ୍ତି ଦେଇଛନ୍ତି । ଜଣେ ମହିଳା ବାପା, ମା’ ଓ ବନ୍ଧୁ ହୋଇପାରିବ । ତେଣୁ ଭବିଷ୍ୟତରେ ମୁଁ ମୋର ଛୁଆର ମା’ ଓ ବାପା ଉଭୟ ହେବାକୁ ଚାହୁଁଛି’ । ଡାଃ ଜେସନୁର ନିଜର ସିମେନକୁ ଆନନ୍ଦ ଠାରେ ଥିବା ଗୋଟିଏ ଆଇଭିଏଫ୍ ହସ୍ପିଟାଲରେ ସଂରକ୍ଷିତ କରି ରଖିଛନ୍ତି । ଭବିଷ୍ୟତରେ ସେ ଏହାକୁ ବ୍ୟବହାର କରି ନିଜ ଛୁଆର ବାପା, ମା’ ଉଭୟ ହୋଇପାରିବେ ।

Breaking News