Report Card Odisha

| Daily Odia News

ଗାଜାକୁ ସହାୟତା ପଠାଇଲା ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗାଜାରେ ବଢୁଥିବା ସଙ୍କଟର ମୁକାବିଲା ପାଇଁ ଭାରତ ଗାଜାବାସୀଙ୍କୁ ସାହାଯ୍ୟର ହାତ ବଢାଇଛି ଏବଂ ଅତ୍ୟନ୍ତ ଆବଶ୍ୟକ ମାନବିକ ସହାୟତା ପଠାଇଛି। ଜୀବନ ରକ୍ଷାକାରୀ ଔଷଧ, ଅସ୍ତ୍ରୋପଚାର ସାମଗ୍ରୀ, ଟେଣ୍ଟ, ଶୋଇବା ବ୍ୟାଗ୍, ତାର୍ପୋଲିନ୍, ସାନିଟାରି ସାମଗ୍ରୀ ଏବଂ ଜଳ ବିଶୋଧକ ବଟିକା ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଏହି ସହାୟତା ଇଜିପ୍ଟର ରାଫା କ୍ରସିଂ ପଏଣ୍ଟ ଦେଇ ଗାଜାରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ବାୟୁସେନାର ସି-୧୭ ବିମାନରେ ପାଖାପାଖି ୬.୫ ଟନ୍ ଚିକିତ୍ସା ସହାୟତା ଓ ୩୨ ଟନ୍ ରିଲିଫ ସାମଗ୍ରୀ ପଠାଇବାରେ ଭାରତୀୟ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଏହି ମାଲବାହୀ ବିମାନଟି ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯାଉଛି, ଯେଉଁଠାରେ ଏହା ଇଜିପ୍ଟର ରେଡ କ୍ରିସେଣ୍ଟକୁ ହସ୍ତାନ୍ତର କରାଯିବ। ସେଠାରୁ ଏହା ଗାଜାରେ ପ୍ରବେଶ କରିବ ଏବଂ ଘୋର ମାନବିକ ସଙ୍କଟର ସମ୍ମୁଖୀନ ହେଉଥିବା ଜନସାଧାରଣଙ୍କ ପାଇଁ ଆଶାର କିରଣ ଦେଖାଇବ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ଅଦନାନ ଅବୁ ଅଲ-ହଏଜା ଏହି ସମୟୋପଯୋଗୀ ସହାୟତା ପାଇଁ ଭାରତ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଭାରତରୁ ଅତିରିକ୍ତ ସହାୟତାର ସମ୍ଭାବନା ବିଷୟରେ ପଚରାଯିବାରୁ ଅଦନାନ ମାନବିକ ସହାୟତା ସହିତ ରାଜନୈତିକ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲ ସହ ଭାରତର ବନ୍ଧୁତାକୁ ସ୍ୱୀକାର କରିବା ସହ ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ମିଳିତ ପ୍ରୟାସ କରିବାକୁ ଅନୁରୋଧ କରିଛନ୍ତି।

Breaking News