Report Card Odisha

| Daily Odia News

ପୁଣି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମମତା:ବୈଠକରେ ଆମକୁ କହିବାକୁ ଦେଲେ ନାହିଁ….

ରିପୋର୍ଟ କାର୍ଡ / କୋଲକାତା

ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ମାତ୍ର ବୈଠକ ପରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆମକୁ କହିବାକୁ  ଦେଲେ ନାହିଁ । ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରି ମମତା କହିଛନ୍ତି, ବୈଠକକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇଥିଲା, ହେଲେ କାହାରିକୁ କିଛି  ଦିଆଗଲା ନାହିଁ। କିଛି ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦିଆଗଲା। ଆମକୁ କହିବାକୁ ଥରୁଟିଏ ବି ସୁଯୋଗ ଦିଆଗଲା ନାହିଁ। ଆଲୋଚନା ବେଳେ ଆମେ ନିଜକୁ ଅପମାନିତ ଅନୁଭବ କରୁଥିଲୁ। ୧୦ ରାଜ୍ୟର ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଅନ୍ୟ କିଛି ମୁଖ୍ୟମନ୍ତ୍ରୀଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ଥିଲେ। ମମତା କହିଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ମୁଖ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡକାଇ ଦେଲେ। ମାତ୍ର ନା ଆମ ସହ କିଛି ଆଲୋଚନା କଲେ ନା କିଛି କହିବାକୁ ଦେଲେ। ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ କାଠପୁତୁଳା କରି ରଖି ଦିଆଗଲା। ପ୍ରଧାନମନ୍ତ୍ରୀ ଛୋଟ ଭାଷଣ ଦେଇ ବୈଠକ ସାରି ଦେଲେ। ଏହା ଗୋଟିଏ ପ୍ରକାରର ସାଧାରଣ ମିଟିଂ ଥିଲା ବୋଲି ମମତା କହିଛନ୍ତି। ସେ କହିଛନ୍ତି, ଆମକୁ ଅପମାନିତ କରାଗଲା। ପ୍ରଧାନମନ୍ତ୍ରୀ ଅକ୍ସିଜେନ୍ କିମ୍ବା ରେମଡେସିଭିର ସମସ୍ୟାକୁ ନେଇ କିଛି ବି ପଚାରିନଥିଲେ। ଏପରିକି ବ୍ଲାକ୍ ଫଙ୍ଗସ୍ ବିଷୟରେ ମଧ୍ୟ ଆମକୁ ପଦୁଟିଏ ମଧ୍ୟ ପଚାରିଲେ ନାହିଁ। ମୁଁ ବୈଠକରେ ପଶ୍ଚିମବଙ୍ଗରେ ଭ୍ୟାକ୍ସିନ ଅଭାବ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଏବଂ ଅଧିକ ଭ୍ୟାକ୍ସିନ ଯୋଗାଇବା ପାଇଁ ଦାବି କରିବାକୁ ଚାହୁଁଥିଲି। ମାତ୍ର ଆମକୁ କହିବାକୁ ମଧ୍ୟ ଦିଆଗଲା ନାହିଁ।

 

Breaking News