Report Card Odisha

| Daily Odia News

ନଦୀ ଓ ହ୍ରଦ ଜଳରୁ ମିଳିଲା କରୋନା ଭୂତାଣୁ ନମୁନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାରନାର ଦ୍ଵିତୀୟ ଲହର ପ୍ରଭାବ ଏଯାଏଁ ଯାଇନଥିବା ବେଳେ ଏବେ ତୃତୀୟ ଲହର ଭୟ | ଏକାଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇସାରିଲେଣି କି କୋଭିଡ-୧୯ର ତୃତୀୟ ଲହର ଆସିବା ନିଶ୍ଚିତ ଏବଂ ଏହା ସମ୍ଭବତଃ ସେପ୍ଟେମ୍ବର- ଅକ୍ଟୋବରରେ ପୁଣି ତାହାର ଭୟାନକ ରୂପ ଦେଖାଇବ | ପୂର୍ବରୁ କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ କେତେକ ସୂଚନା ମିଳିଥିଲା। ଏବେ ସେହି ଭୂତାଣୁ ନମୁନା ଜଳଭାଗରୁ ଠାବ କରାଯିବା ପରେ ତାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି। ଆଇଆଇଟି ଗାନ୍ଧୀନଗରର ଏକ ଗବେଷକଦଳ ପକ୍ଷରୁ ନିକଟରେ କରାଯାଇଥିବା ଅଧ୍ୟୟନ ସମୟରେ ଗୁଜରାଟର ସାବରମତୀ ନଦୀ ଏବଂ ଅହମଦାବାଦ ସହରରେ ଥିବା ଦୁଇଟି ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା ଠାବ କରାଯାଇଛି। ଏହି ଅଧ୍ୟୟନ ପାଇଁ ୟୁନିସେଫ ପାଣ୍ଠି ଯୋଗାଇ ଦେଇଥିଲା। ତେବେ ଜଳରୁ ମିଳିଥିବା କରୋନା ଭୂତାଣୁ ଜିନ୍‍ ମୃତ କି ଜୀବିତ ତାହା ଗବେଷକ ଦଳ କହିନାହାନ୍ତି। ଗବେଷକ ଦଳର ନେତୃତ୍ୱ ନେଉଥିବା ପ୍ରଫେସର ମନିଶ କୁମାର କହିଛନ୍ତି, ଯେ ଭବିଷ୍ୟତରେ ବଡଧରଣର ବିପର୍ଯ୍ୟୟକୁ ଏଡାଇବା ପାଇଁ ଏହା ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ଏହାପରେ ଅହମଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷ ଉକ୍ତ ନଦୀ ଓ ଦୁଇ ହ୍ରଦର ଜଳ ନମୁନା ଅଧିକ ପରୀକ୍ଷା ପାଇଁ ଗୁଜରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟରକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ସାବରମତୀ ନଦୀ ସହିତ ଅନ୍ୟ ଯେଉଁ ଦୁଇ ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା ଠାବ କରାଯାଇଛି, ସେହି ଦୁଇ ହ୍ରଦ ହେଉଛି ଅହମଦାବାଦର ଚାଣ୍ଡୋଲା ଏବଂ କଙ୍କରିଆ।

Breaking News