Report Card Odisha

| Daily Odia News

କୃଷକମାନଙ୍କ ପ୍ରତିବାଦରେ ନେତୃତ୍ୱ ନେବେ ୪୦ ହଜାର ମହିଳା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ତର୍ଜାତିକ ମହିଳା ଦିବସରେ କୃଷକମାନଙ୍କ ପ୍ରତିବାଦର ନେତୃତ୍ୱ ନେବାକୁ ଏବଂ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ପଞ୍ଜାବ ଓ ହରିୟାଣାରୁ ପ୍ରାୟ ୪୦ ହଜାର ମହିଳା ଦିଲ୍ଲୀ ଅଭିମୁଖେ ଆସୁଛନ୍ତି । ଦିଲ୍ଲୀ ସୀମାନ୍ତବର୍ତ୍ତୀ ଇଲାକା ଅନ୍ତର୍ଗତ ପ୍ରତିବାଦସ୍ଥଳୀଗୁଡ଼ିକରେ ସମବେତ ହୋଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ନିମନ୍ତେ ପଞ୍ଜାବ ଓ ହରିୟାଣାର ବିଭିନ୍ନ ଜିଲ୍ଲାରୁ ଦିଲ୍ଲୀକୁ ଆସୁଥିବା ହଜାର ହଜାର ମହିଳାଙ୍କ ମଧ୍ୟରୁ କେତେକ ନିଜେ ଟ୍ରାକ୍ଟର୍‌ ଚଳାଇ ଆସୁଥିବା ଜଣାପଡ଼ିଛି। ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ମହିଳା ପ୍ରତିବାଦକାରୀମାନେ ପ୍ରତିବାଦସ୍ଥଳୀଗୁଡ଼ିକରେ ମୁଖ୍ୟଭାବେ ମଞ୍ଚାସୀନ ହେବେ। କୃଷକ ନେତାମାନେ କହିଛନ୍ତି ଯେ, କୃଷି ଓ ସାଧାରଣ ଜୀବନରେ ମହିଳାମାନଙ୍କ ଭୂମିକାକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। କୃଷକ ସଙ୍ଗଠନମାନେ ଦାବି କରିଛନ୍ତି ଯେ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ ହଜାର ମହିଳା ସିଂଘୁ, ଟିକିରି ଏବଂ ଗାଜିପୁର ସୀମାନ୍ତ ସମେତ ଦିଲ୍ଲୀ ସୀମାବର୍ତ୍ତୀ ପ୍ରତିବାଦସ୍ଥଳୀଗୁଡ଼ିକରେ ସମବେତ ହେବେ। ପ୍ରତ୍ୟେକ କୃଷକ ସଂଘର ମହିଳା ଶାଖା ଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ‘ଭାରତୀୟ କିଷାନ୍‌ ୟୁନିୟନ୍‌’ର ମହିଳା ଶାଖାଟି ସବୁଠୁ ବଡ଼। କୃଷକ ସଙ୍ଗଠନର ନେତାମାନେ କହିଛନ୍ତି ଯେ, ସମ୍ପୃକ୍ତ ମହିଳାମାନେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ପରେ ପିଲାଝିଲା, କ୍ଷେତବାଡ଼ି ଓ ପରିବାରର ବୟୋବୃଦ୍ଧମାନଙ୍କର ସେବାଯତ୍ନ କରିବା ଲାଗି ଘରକୁ ଫେରିଯିବେ।

 

 

Breaking News