Report Card Odisha

| Daily Odia News

ଏନସିବିରୁ ବଦଳି ହେଲେ ସମୀର ୱାନଖେଡେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏନସିବି ନିଜର ମୁମ୍ବାଇ ଜୋନାଲ ଚିଫ ସମୀର ୱାନଖେଡେଙ୍କୁ ତାଙ୍କ ହୋମ କ୍ୟାଡର ପଠାଇ ଦେଇଛି। ସମୀର ୱାନଖେଡେ ଗତ ବର୍ଷ କ୍ରୁଜ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ୨୦୨୦ ଅଗଷ୍ଟରେ ତାଙ୍କୁ ଏନସିବିର ମୁମ୍ବାଇ ଜୋନର ଜୋନାଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା। ଏନସିବିରେ ତାଙ୍କର କାର୍ଯ୍ୟକାଳ ୨୦୨୧ ଅଗଷ୍ଟ ଯାଏଁ ଥିଲା। ତାଙ୍କୁ ୪ ମାସର ଏକ୍ସଟେନ୍ସନ ଦିଆଯାଇଥିଲା ଯାହା ଡିସେମ୍ବର ୩୧ ରେ ଶେଷ ହୋଇଯାଇଛି। ଏହାପରେ ତାଙ୍କୁ ପୁଣି ହୋମ କ୍ୟାଡର କଷ୍ଟମ ବିଭାଗକୁ ପଠାଇ ଦିଆଯାଇଛି। ସମୀର ୱାନଖେଡେ ଯେଉଁସବୁ ମାମଲାର ଯାଞ୍ଚରେ ସାମିଲ ଥିଲେ ସେଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା ମଧ୍ୟ ସାମିଲ ଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କଳାକାରଙ୍କୁ ଏନସିବି ଗିରଫ କରିଥିଲା ଓ ପଚରାଉଚୁରା କରିଥିଲା। ଗତ ବର୍ଷ ଅକ୍ଟୋବରରେ ତାଙ୍କ ଟିମ ମୁମ୍ବାଇ କ୍ରୁଜ ପାର୍ଟିରୁ ଡ୍ରଗ୍ସ ଜବତ କରିଥିଲା ଓ ଆର୍ଯ୍ୟନ ଖାନଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରିଥିଲା। ଏନସିବିର ବରିଷ୍ଠ ଅଧିକାରୀଙ୍କୁ ଦୁର୍ନୀତି, ଅସାଧାରଣ ଜୀବନଶୈଳୀ ଓ ଜାତି ପ୍ରମାଣପତ୍ର ଠକେଇ ସହ ଅନେକ ଆରୋପ ସାମ୍ନା କରିବାକୁ ପଡିଥିଲା। ସମୀର ୱାନଖେଡେ ୨୦୦୮ ବ୍ୟାଚ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀ। ସେ ସେବା ନିବୃତ ମହାରାଷ୍ଟ୍ର ପୋଲିସ ଅଧିକାରୀ ଜ୍ଞାନଦେବ ୱାନଖେଡେଙ୍କ ପୁଅ। ସମୀର ୱାନଖେଡେ ସେବା ବିସ୍ତାର ପାଇଁ ଦାବି କରିନଥିଲେ। ସେପ୍ଟେମ୍ବରରେ ୪ ମାସ ତାଙ୍କର ସେବା ବିସ୍ତାର କରାଯାଇଥିଲା। ଏନସିବିରେ କାର୍ଯ୍ୟ କରିବା ପୂର୍ବରୁ ସେ ଏୟାର ଇଣ୍ଟଲିଜେନ୍ସ ୟୁନିଟ (ଏଆଇୟୁ)ର ଡେପୁଟି କମିଶନର ଓ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ଅତିରିକ୍ତ ଏସପି ଥିଲେ। ପରେ ସେ ସୀମା ଶୁଳ୍କର ସହାୟକ ଆୟୁକ୍ତ ଭାବେ ନିଯୁକ୍ତ ହୋଇଥିଲେ ଓ ମୁମ୍ବାଇ ବିମାନବନ୍ଦରରେ ନିୟୋଜିତ ହୋଇଥିଲେ। ମୁମ୍ବାଇ ଏୟାର ଇଣ୍ଟଲିଜେନ୍ସ ୟୁନିଟ ସହ କାମ କଲାବେଳେ ସେ ଅନେକ ହସ୍ତୀଙ୍କୁ ଧରିଥିଲେ ଯେଉଁମାନେ ସୀମା ଶୁଳ୍କରୁ ବଞ୍ଚିବାକୁ ଚେଷ୍ଟା କରୁଥିଲେ। ୨୦୨୦ ଅଗଷ୍ଟରେ ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ମାମଲାର ଯାଞ୍ଚରେ ସେ ୩୩ରୁ ଅଧିକ ଜଣଙ୍କୁ ଗିରଫ କରିଥିଲେ। ତାଙ୍କ କାମର ଉତ୍କୃଷ୍ଟତା ଯୋଗୁଁ ୨୦୨୧ ରେ ତାଙ୍କୁ ‘ଗୃହ ମନ୍ତ୍ରୀ ପଦକ’ରେ ସମ୍ମାନିତ କରାଯାଇଥିଲା।

 

Breaking News