ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଲୋକଙ୍କ ଉପରେ ହେଉଛି ଅକଥନୀୟ ଅତ୍ୟାଚାର | ଲୋକେ ଦେଶ ଛାଡି ପାଇଯାଉଛନ୍ତି | ଏହା ଭିତରେ ଆଫଗାନିସ୍ତାନର ଖବର ସରବରାହ ସଂସ୍ଥାର Asvaka ସୂଚନା ଅନୁଯାୟୀ ଦେଶର ତିନି ଜିଲ୍ଲାକୁ ଏବେ ସ୍ଥାନୀୟ ଲୋକେ ନିଜ ଅକ୍ତିଆରରେ ରଖିଛନ୍ତି। ଏହି ଜିଲ୍ଲାରେ ଥିବା ତାଲିବାନଙ୍କୁ ସ୍ଥାନୀୟ ଲୋକେ ତଡ଼ିଦେଇଛନ୍ତି ଦେଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକେ ତାଲିବାନଙ୍କୁ ଘଉଡାଇବା ବେଳେ ହାତାହାତି ପରିସ୍ଥିତି ସୃଷ୍ଟିହୋଇଥିଲା | ଏଥିରେ ୬୦ ତାଲିବାନୀ ଆହତ କିମ୍ୱା ପ୍ରାଣ ହରାଇଥିବା କୁହାଯାଇଛି। Asvaka ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ କରି ସାର୍ବଜନୀନ କରାଯାଇଛି। ଯେଉଁଥିରେ ତିନି ଜିଲ୍ଲାକୁ ସ୍ଥାନୀୟ ଲୋକେ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି। ଗତ ରବିବାର ଆଫଗାନିସ୍ତାନର ପଞ୍ଜିଶିରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଅଞ୍ଚଳକୁ ତାଲିବାନ ଦଖଲ କରିଥିଲା। ହେଲେ ତାଲିବାନର ଅତ୍ୟାଚାରକୁ ବିରୋଧ କରି କିଛି କିଛି ସ୍ଥାନରେ ମହିଳା, ସ୍ଥାନୀୟ ଲୋକେ ରାସ୍ତାକୁ ଆସି ପ୍ରତିବାଦ କରୁଥିଲେ। ଏଥିସହ ରାସ୍ତାରେ ଆଫଗାନିସ୍ତାନର ପତାକା ଉଡ଼ାଇ ତାଲିବାନ ବିରୋଧରେ ଏକତ୍ରିତ ହେବାକୁ ନାରା ଦେଇଥିଲେ। ଆଫଗାନିସ୍ତାନର ଖୈର ମହମ୍ମଦ ଅନ୍ଦରାବିଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଏବେ ଏହି ଗୋଷ୍ଠୀ ତାଲିବାନ ଅଧୀନରେ ଥିବା ପୋଲ-ଏ-ହେରାସ, ଦେଶ ସଲାହ ଏବଂ ବାନୁ ଜିଲ୍ଲାକୁ ନିଜ ଅଧିନରେ ରଖିଛନ୍ତି। ଏଠାରେ ଥିବା ତାଲିବାନଙ୍କୁ ଘଉଡାଇ ଦେଇଛନ୍ତି। ଏବେ ଏହି ତିନି ଜିଲ୍ଲାର ପାଖରେ ଥିବା ଜିଲ୍ଲାକୁ ଦଖଲ କରିବାକୁ ଖୈର ମହମ୍ମଦଙ୍କ ସମର୍ଥକ ପ୍ରୟାସ କରୁଥିବା ସୂଚନା ରହିଛି। କାବୁଲର ଉତ୍ତର ଭାଗରେ ପୋଲ-ଏ-ହେରାସ ଜିଲ୍ଲା ରହିଛି। ଏହା ପଞ୍ଜଶିର ଉପତ୍ୟକାକୁ ଲାଗି ହୋଇ ରହିଛି। ତାଲିବାନ ସମସ୍ତ ଅଞ୍ଚଳକୁ ଯଦିଓ ଦଖଲ କରିଛନ୍ତି ବୋଲି କହୁଛନ୍ତି ହେଲେ ପଞ୍ଜଶିରରେ ଏବେ ବି ତାଲିବାନ ପ୍ରବେଶ କରି ପାରି ନାହାନ୍ତି। ତାଲିବାନ ପାଇଁ ଦେଶ ଭିତରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପଞ୍ଜଶିର ବୋଲି ଜଣାପଡ଼ିଛି। ଆଫଗାନିସ୍ତାନର ଘନି ସରକାରରେ ଉପରାଷ୍ଟ୍ରପତି ଅମରୁଲ୍ଲା ସେଲହ ମଧ୍ୟ ଏବେ ପଞ୍ଜିଶିରାରେ ରହିଛନ୍ତି। ଘନି ଦେଶ ଛାଡ଼ି ୟୁଏଇଇ ପଳାଇବା ପରେ ସେ ଦେଶର ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି।
Discussion about this post