ରିପୋର୍ଟ କାର୍ଡ / ମୟୁରଭଞ୍ଜ
କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ ଅଧିକାରୀଙ୍କୁ ମାଡମାରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ସେ ରିଭ୍ୟୁ ପାଇଁ ଦୁଇ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କ ହାତ ଭାଙ୍ଗି ଯାଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଏହାକୁ ଖଣ୍ଡନ କରିଛନ୍ତି। ଏହି ଦୁଇ ଅଧିକାରୀ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ର। ମନ୍ତ୍ରୀଙ୍କ ମାଡ଼ରେ ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଛି। ଉଭୟ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ସମୀକ୍ଷା କରିବା ପାଇଁ ଏହି ଦୁଇ ଅଧିକାରୀଙ୍କୁ ଗତକାଲି ଠାରୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କୁ ପ୍ରଥମେ ସର୍କିଟ୍ ହାଉସ୍କୁ ଡକା ଯାଇଥିଲା। ପରେ ଦଳୀୟ କାର୍ଯ୍ୟକୁ ଡକାଯାଇଥିଲା। ତେବେ ଏହି ଦୁଇ ଅଧିକାରୀ ଅଫିସ୍ରେ ସମୀକ୍ଷା କରାଯାଉ ବୋଲି କହିଥିଲେ। ଏହି କଥାକୁ ନେଇ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସେମାନଙ୍କ ଉପରେ ରାଗି ଯାଇଥିଲେ। ଏଣୁ ଶୁକ୍ରବାର ଯେତେବେଳେ ଏହି ଦୁଇ ଅଧିକାରୀ ମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଲେ ସେହି କଥାକୁ ନେଇ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ପ୍ରୋଟୋକଲ ଜଣାନାହିଁ କହି ମନ୍ତ୍ରୀ ଚିଡ଼ି ଉଠିବା ସହିତ ସେମାନଙ୍କୁ ମାଡ଼ ମାରିଥିଲେ। ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ର କହିଛନ୍ତି, ମନ୍ତ୍ରୀ ଆମକୁ ପ୍ରୋଟୋକଲ ଜଣାନାହିଁ ବୋଲି କହିଥିଲେ। ଆମେ କହିଥିଲୁ ନିର୍ବାଚନ ସମୟରେ ଫାଇଲ୍ ଧରି ଏଠାକୁ ଆସିବା ବି ଠିକ୍ ନୁହେଁ। ଏତିକିରେ ସେ ରାଗି ଯାଇଥିଲେ। ଜଣଙ୍କୁ ଦଳୀୟ କାର୍ଯ୍ୟାଳୟର ଶଟର ବନ୍ଦ କରିବାକୁ କହିଥିଲେ। ଶଟର ବନ୍ଦ ହେବା ପରେ ସେ ପ୍ରଥମେ ଏକ ଲୁହା ରଡ୍ ଉଠାଇଥିଲେ। ପରେ ଏକ ପ୍ଲାଷ୍ଟିକ୍ ଚୌକିରେ ମୋତେ ପିଟିଥିଲେ। ଡାଇରେକ୍ଟର ସାର୍ ତାଙ୍କୁ ଅଟକାଇବାରୁ ତାଙ୍କୁ ବି ମନ୍ତ୍ରୀ ମାଡ଼ ମାରିଥିଲେ। ଯେଉଁ ଚୌକିରେ ଆମକୁ ପିଟିଥିଲେ, ତାକୁ ପୂରା ଭାଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ନିର୍ବାଚନ ଥିବାରୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ସେମାନେ ରିଭ୍ୟୁ ପାଇଁ ଆସିଥିଲେ। ବ୍ୟସ୍ତ ଥିବାରୁ ମନା କରିଥିଲି ଓ ସେମାନେ ଫେରି ଯାଇଥିଲେ।
More Stories
ସିବିଆଇ ସ୍କାନରରେ ଆଇଏଏସ୍ ବିଷ୍ଣୁପଦ ସେଠୀ…..
ନେପାଳରୁ ଶ୍ରୀକ୍ଷେତ୍ର ଆସିଲା ଶାଳଗ୍ରାମ…..
ଆତ୍ମ ସମର୍ପଣ କଲେ ୧୧ ଜଣ ମାଓବାଦୀ….