ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଲୋକମାନେ ସିଧା ଭୋଟ୍ ଦେଇ ବାଛି ପାରିବେ ମେୟର। ମହାନଗର ନିଗମରେ ହେବ ଭୋଟିଂ। ପୂର୍ବରୁ କାଉନସିଲରମାନେ ଭୋଟ୍ ଦେଇ ମେୟର ବାଛୁଥିଲେ। ଏପରିକି ସହରର ମ୍ୟୁନିସିପାଲଟି ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସିଧା ଭୋଟ୍ ଦେଇ ଲୋକେ ବାଛି ପାରିବେ। ନୂଆ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ନେଇ ଗୃହ ଓ ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୌରପାଳିକା ନିୟମ ୧୯୯୪ ସଂଶୋଧନ ପାଇଁ ଡ୍ରାଫ୍ଟ ନୋଟିଫିକେସନ ଅନୁଯାୟୀ, ୱାର୍ଡ ସୀମା ନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନାକୁ ନେଇ ସଂଶୋଧିତ ଆଇନ ବିଷୟରେ ଆଜିଠୁ ୩୦ ଦିନ ମଧ୍ୟରେ ମତ କିମ୍ବା ଅଭିଯୋଗ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ତେବେ ଏହି ନୂଆ ଘୋଷଣା ସହିତ ରାଜ୍ୟରେ ପ୍ରଥମଥର ପାଇଁ ପୌରାଂଚଳର ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଲୋକେ ଭୋଟ୍ ଦେଇ ନିଜ ଅଞ୍ଚଳର ମେୟର ବାଛିବେ। ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରାଯାଇଛି। ଏହାଦ୍ୱାରା ପୌରାଂଚଳ ଓ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ଅଧ୍ୟକ୍ଷ ପଦବୀ ପ୍ରାର୍ଥୀ କେଉଁ ବର୍ଗର ହେବେ ତାହା ପୌରାଂଚଳର ଜନସଂଖ୍ୟା ଆଧାରରେ ସ୍ଥିର ହେବ। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଭୋଟ୍ ବାକ୍ସ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଆଉ ଏକ ଭୋଟ୍ ବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ଏହା ବ୍ୟବହାର କରାଯିବ। ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ଭୋଟବାକ୍ସ ଯୋଗାଇ ଦିଆଯିବା ସହିତ ଭୋଟ ବାକ୍ସଗୁଡ଼ିକର ଆକାର ଓ ପ୍ରକାର ନିର୍ବାଚନ ଆୟୋଗଙ୍କ ସ୍ଥିର କରିବେ।
Discussion about this post