Report Card Odisha

| Daily Odia News

ଧର୍ମଘଟ କରିପାରିବେ ନାହିଁ ସରକାରୀ କର୍ମଚାରୀ,ଏସମା ଆଇନ ଲାଗୁ କଲେ ୟୁପି ସରକାର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ମଧ୍ୟରେ ଧର୍ମଘଟ କରିପାରିବେ ନାହିଁ ସରକାରୀ କର୍ମଚାରୀ | ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଉତ୍ତରପ୍ରଦେଶରେ କିଛି ସରକାରୀ କର୍ମଚାରୀଙ୍କ ୟୁନିୟନ ସେମାନଙ୍କ ଦାବି ଉପରେ ଧର୍ମଘଟ ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜଣା ପଡିବା ପରେ ଏଭଳି ପଦକ୍ଷେପ ନେବା ସହିତ ରାଜ୍ୟରେ ଏସମା ଆଇନ ଲାଗୁ କରିଛନ୍ତି ୟୁପି ସରକାର । ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ସମସ୍ତ ପୌର ନିଗମର କର୍ମଚାରୀ ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ | ସୂଚନାନୁସାରେ, ସରକାର ବର୍ତ୍ତମାନ ୬ ମାସ ପାଇଁ ଏସମା ଆଇନ ଲାଗୁ କରିଛନ୍ତି | ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ଛୁଟିରେ ଯାଇ ଧର୍ମଘଟ କରିପାରିବେ ନାହିଁ । ସମସ୍ତ କର୍ମଚାରୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ବାଧ୍ୟତାମୂଳକ ହେବ। ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଥାଉ କି ଯେ ସଙ୍କଟ ସମୟରେ କର୍ମଚାରୀଙ୍କ ଧର୍ମଘଟକୁ ବନ୍ଦ କରିବା ପାଇଁ ୧୯୬୮ ମସିହାରେ ଏସମା ଆଇନ ପ୍ରଣୟନ କରାଯାଇଥିଲା । ଏସମା ଲାଗୁ କରିବା ପୂର୍ବରୁ, ଏହା ଦ୍ୱାରା ପ୍ରଭାବିତ କର୍ମଚାରୀମାନଙ୍କୁ ଖବରକାଗଜ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ସୂଚିତ କରାଯାଇଥାଏ | ଏହି ନିୟମ ଲାଗୁ ହେବା ପରେ ଯଦି କର୍ମଚାରୀମାନେ ଧର୍ମଘଟ କରନ୍ତି, ତେବେ ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗରେ ଯେ କୌଣସି କର୍ମଚାରୀଙ୍କୁ ବିନା ୱାରେଣ୍ଟରେ ଗିରଫ କରାଯାଇପାରିବ |

Breaking News